
ଶ୍ରମିକ ସଂଗଠନର ବନ୍ଦରେ ଜନ ଜୀବନ ପ୍ରଭାବିତ
ଭୁବନେଶ୍ୱର – ଦେଶର ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଦେଶ ବ୍ୟାପୀ ବନ୍ଦ ଡାକରାର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ପଡିଛି । ୧୨ ଘଂଟିଆ ଏହି ବନ୍ଦ ଯୋଗୁ ଜନଜୀବନ ବହୁ ପରିମାଣରେ ପ୍ରଭାବିତ ହୋଇଛି । ରାଜ୍ୟରେ ସ୍କୁଲ କଲେଜ ଗୁଡିକ କରୋନା ପାଇଁ ପୂର୍ବରୁ ବନ୍ଦ ରହିଛି । ଆଜି ରାଜ୍ୟର ବିଭିନ୍ନ ଅଂଚଳରେ ଦୋକାନ, ବଜାର ବନ୍ଦ ରହିବା ସହିତ ବିଭିନ୍ନ ଆଦିବାସୀ ଅଂଚଳରେ ବସିବାକୁ ଥିବା ସାପ୍ତାହିକ ହାଟମାନ ବନ୍ଦ ରହିଛି । ପୁଲିସ ବିଭିନ୍ନ ସ୍ଥାନରୁ ହଜାର ହଜାର ବନ୍ଦ ସମର୍ଥକଙ୍କୁ ଗିରଫ କରିଛି ।
ସମ୍ବଲପୁରରେ ଅଇଁଠାପାଲୀ ଛକରେ ଆଜି ବନ୍ଦ ଯୋଗୁ ବହୁ ପାରିମାଣରେ ଗାଡି ମୋଟର ରାସ୍ତାର ଦୁଇ କଡରେ ଛିଡା ହୋଇ ରହିଥିବାର ଦେଖିବାକୁ ମିଳିଥିଲା । ଏଠାରେ ବିଶେଷ କରି ଅନେକ ଧାନବୋଝେଇ ଟ୍ରକ ଅଟକି ରହିଥବାର ଦେଖିବାକୁ ମିଳିଥିଲା । ସେହିପରି ସହରର କଚେରୀ ଛକରେ ଦିନ ୧୦ ଟା ପୂର୍ବରୁ ବହୁ ସଂଖ୍ୟାରେ ବନ୍ଦ ସମର୍ଥକ ପିକେଟିଙ୍ଗ କରି କର୍ମଚାରୀ, ଓକିଲ, ବିଚାରପତି ଆଦିଙ୍କୁ କୋର୍ଟକୁ ନଯିବାକୁ ଅନୁରୋଧ କରିଥିଲେ । ବନ୍ଧ ସମର୍ଥକମାନେ ସଂଖ୍ୟାଧିକ ସଂଖ୍ୟାରେ ପହଂଚିବା ଫଳରେ କଚେରୀ ରାସ୍ତା ସମ୍ପୂର୍ଣ୍ଣ ଭାବେ ଅବରୋଧ ହୋଇ ଯାଇଥିଲା । ତେଣୁ ଗାଡି ମୋଟର ସହିତ ଲୋକଙ୍କ ଯିବା ଆସିବା ମଧ୍ୟ ଏକରକମ ଠପ ହୋଇ ଯାଇଛି । ସହରରେ ପୂର୍ବରୁ ବନ୍ଦ ସମର୍ଥନରେ ବିଭିନ୍ନ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଶୋଭାଯାତ୍ରାମାନ ବାହାରିଥିଲା । ଦିନକ ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ସହରରେ ଏକ ବାଇକ୍ ରାଲୀ କରାଯାଇଥିଲା ।
ଜୟପୁରରେ ଜାତୀୟ ରାଜପଥ ୨୬ରେ ଆଜି ଅନେକ ଗାଡି ମୋଟର ବନ୍ଦ ହୋଇ ରହିଥିଲା । ଜୟପୁରଠାରେ ଥିବା ଟ୍ରାଫିକ୍ ଛକରେ ଅନେକ ବନ୍ଦ ସମର୍ଥକ ଆଜି ସକାଳେ ପହଂଚି ବନ୍ଦ କରାଇଥିôଲେ । କହି ରଖୁ ଯେ କୋରାପୁଟର ଜୟପୁର ଦେଇ ଯାଇଥିବା ରାଷ୍ଟ୍ରୀୟ ରାଜମାର୍ଗ ୨୬ ଏକ ବ୍ୟସ୍ତ ବହୁଳ ରାଜପଥ । ଏହା ଓଡିଶା ସହିତ ଛତିଶଗଡର ଜଗଦଳପୁର ଓ ଆନ୍ଧ୍ରପ୍ରଦେଶର ବିଜୟ ନଗରମକୁ ଯୋଡି ଥାଏ ଏବଂ ଏହି ସଡକ ଦେଇ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ପରିବହନ ହୋଇଥାଏ । । ଆଜି ଏ ସବୁ ସ୍ଥାନରୁ ମାଲ ଆସି ପାରି ନାହିଁ ବା ସେଠାକୁ ଯାଇ ପାରୁ ନାହିଁ ।
ଯାଜପୁର ଜିଲାରେ ବସ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସହରର ମେଡିକାଲ ଛକ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଦୋକାନ ବଜାର ପୁରାପୁରି ବନ୍ଦ ରହିଛି । ଅନ୍ୟ ସବୁ ସ୍ଥାନ ପରି ଏଠାରେ ମଧ୍ୟ ସହରର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିଛି ।
ଭଦ୍ରକର ବନ୍ତ ଛକରେ ସକାଳ ବହୁ ପରିମାଣରେ ବନ୍ଦ ସମର୍ଥକ ଏକତ୍ରିତ ହୋଇ ପିକେଟିଙ୍ଗ କରିବା ଫଳରେ ଏଠାରେ ଜନଜୀବନ ପ୍ରଭାବିତ ହୋଇଛି ।
ଆଜି ରାଜ୍ୟ ବିଧାନସଭା ତଥା ସଚ୍ଚିବାଳୟରେ ମଧ୍ୟ ବଂଦର ପ୍ରଭାବ ଆଂଶିକ ପଡିଛି । ତେବେ ରାଜ୍ୟର ସରକାରୀ ଅଫିସ ଓ ରାଜ୍ୟର ବ୍ୟାଙ୍କ ଶାଖା ଗୁଡିକ ଉପରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି କାରଣ ଏହି ବନ୍ଦରେ ସରକାରୀ କର୍ମଚାରୀ, ଠିକା କର୍ମଚାରୀ ଆଦି ସବୁ ସଂଗଠନର ଶ୍ରମିକ ଓ କର୍ମଚାରୀମାନେ ଅଂଶ ଗ୍ରହଣ କରିବେ ବୋଲି ଘୋଷଣା କରି ସାରିଥିଲେ । ସେହିପରି ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପଲୟିଜ ଆସୋସିଏସନ(ଏଆଇବିଇଏ), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ(ଏଆଇବିଓଏ) ଏବଂ ବ୍ୟାଙ୍କ ଏମ୍ପ୍ଳୟିଜ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ପୂର୍ବରୁ ଏହି ବନ୍ଦରେ ସାମିଲ ହେବା କଥା ଘୋଷଣା କରାଯାଇଥିଲା ।
ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବନ୍ଦର ପ୍ରଭାବ ପଡିଛି । ଆଜି ବନ୍ଦ ସମର୍ଥକ ମାନେ ସହରର ବିଭିନ୍ନ କାର୍ଯ୍ୟାଳୟ ରେଳ ଭବନ, ନାଲକୋ, ଏନଟିପିସି ଓ ଅନ୍ୟାନ୍ୟ ଅନେକ ଦଫତର ସମ୍ମୁଖରେ ବସି ରହି ପିକେଟିଙ୍ଗ କରିଥିଲେ । ସହରର ଅଟେଶ ମହାସଂଘ ପକ୍ଷରୁ ବନ୍ଦକୁ ସମର୍ଥନ କରାଯାଉ ଥିବାରୁ ଆଜି ସହରରେ ଅଟୋ ଚଳାଚଳ ବନ୍ଦ ରହିଥିଲା । ସେହିପରି ସହରର ବ୍ୟସ୍ତବହୁଳ ରାଜମହଲ ଛକ, ମାଷ୍ଟର କ୍ୟାଂଟିିନ ଛକ ସହିତ ଲୋୟର ପିଏମଜିରେ ପୁଲିସ ସହିତ ଧସ୍ତଧସ୍ତି ଯୋଗୁଁ ଅନେକ ଶ୍ରମିକ ସଂଗଠନ ନେତାଙ୍କୁ ପୁଲିସ ବଳପ୍ରୟୋଗ କରି ଗିରଫ କରିଛି ।
ଭୁବନେଶ୍ୱର – ଦେଶର ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଦେଶ ବ୍ୟାପୀ ବନ୍ଦ ଡାକରାର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ପଡିଛି । ୧୨ ଘଂଟିଆ ଏହି ବନ୍ଦ ଯୋଗୁ ଜନଜୀବନ ବହୁ ପରିମାଣରେ ପ୍ରଭାବିତ ହୋଇଛି । ରାଜ୍ୟରେ ସ୍କୁଲ କଲେଜ ଗୁଡିକ କରୋନା ପାଇଁ ପୂର୍ବରୁ ବନ୍ଦ ରହିଛି । ଆଜି ରାଜ୍ୟର ବିଭିନ୍ନ ଅଂଚଳରେ ଦୋକାନ, ବଜାର ବନ୍ଦ ରହିବା ସହିତ ବିଭିନ୍ନ ଆଦିବାସୀ ଅଂଚଳରେ ବସିବାକୁ ଥିବା […]